Unknown

 

 

 

 

 

 

 

 

 

କୋକିଳ ଚଉତିଶା

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର

 

(ଓଡ଼ିଆ ରୀତିଯୁଗ ସାହିତ୍ୟର ଜଣେ ଶ୍ରେଷ୍ଠ କବି । ତାଙ୍କର ଶ୍ରେଷ୍ଠ କୃତି ‘ବିଦଗ୍ଧ ଚିନ୍ତାମଣି’ । ରାଧାକୃଷ୍ଣ ପ୍ରେମ ସମ୍ପର୍କୀୟ ଓ ରୀତିଯୁଗୀୟ ଶୈଳୀରେ ଏହା ରଚିତ । ଉକ୍ତ ଗ୍ରନ୍ଥ ବ୍ୟତୀତ ‘ପ୍ରୀତି ଚିନ୍ତାମଣି’ ‘ସୁଲକ୍ଷଣା’ ‘ପ୍ରେମକଳା’ ‘ପ୍ରେମ ତରଙ୍ଗିଣୀ’ ପ୍ରଭୃତି ଗ୍ରନ୍ଥ ତାଙ୍କର ଅନବଦ୍ୟ ସୃଷ୍ଟି । ଶୁଦ୍ଧା ଭକ୍ତିମାର୍ଗର କବି ଭାବେ ପ୍ରଖ୍ୟାତ ସେ । ତାଙ୍କର ଅନେକ ଚଉତିଶା ଆମେ ଦେଖୁଁ । ‘ବିଦଗ୍ଧ ଚିନ୍ତାମଣି’ ଗ୍ରନ୍ଥରେ କବି ରାଧାକୃଷ୍ଣଙ୍କ, ଅପୂର୍ବ, ଅଲୌକିକ ତଥା ଅପ୍ରାକୃତ ପ୍ରେମ ଲୀଳାକୁ ବର୍ଣ୍ଣନା କରିଛନ୍ତି ।

 

“ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧାହରି,

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ।’’

 

କବିଙ୍କ କାବ୍ୟରେ ଉପମା, ଅଳଙ୍କାର ତଥା ଅର୍ଥର ଚମତ୍କାରିତା, ପଦ ଲାଳିତ୍ୟର ମଧୁର ସମନ୍ୱୟ ଘଟିଛି । ‘କୋକିଳ ଚଉତିଶା’ଟିରେ ନାୟକ, ନାୟିକା ପ୍ରେମ ବିରହ ଓ ମିଳନର ଚିତ୍ର ଫୁଟି ଉଠିଛି ।)

 

(ରାଗ – କଳହଂସ କେଦାର)

 

କମନୀୟ କନକ କମଳମୁଖୀ

 

କାନ୍ତ ବିଦେଶେ ପାଶେ କୋକିଳ ଦେଖି ଯେ

 

କୋହେ କହେ ପିକକୁ ପିକ ବଚନୀ

 

କର ଗମନ ମୋର ବାରତା ଘେନି ଯେ

।୧।

ଖରେ କହିବୁ ପ୍ରାଣ ବନ୍ଧୁଙ୍କୁ ଯାଇଁ

 

ଖଟିଥିବାର ପରିଚାରିକା ହୋଇଁ ଯେ

 

ଖଟାଇ ଅଛି ଚିତ୍ତ ନାଥ ପୟର

 

ଖେଳା କାଳରୁ ଅଗଣିତ ଜୁହାର ଯେ

।୨।

ଗରବ କରି କାନ୍ତ ରତାନ୍ତ ବେଳେ

 

ଗାଢ଼େ ଭିଡ଼ନ୍ତେ ଭୁଜ ଫିଙ୍ଗିଲି ବଳେ ଯେ

 

ଗଡ଼ ସୁରତ ଅପରାଧରୁ ଏକା

 

ଗଲେ ନାଗର ହୃଦେ ରଖାଇ ଦକା ଯେ

।୩।

ଘେନାଇ ନପାରିଲି ତାଙ୍କର ମନ

 

ଘଡ଼ିକେ ଛାଡ଼ି ଯାଉ ଅଛି ଜୀବନ ଯେ

 

ଘଡ଼ିକା ମାତ୍ର ଅଛି ଅବଶେଷକୁ

 

ଘେନିବେ ନାହିଁ ମୋର କଲା ଦୋଷକୁ ଯେ

।୪।

ଊଣା ବୋଲି ମନରେ ବିଚାରି ବନ୍ଧୁ

 

ଏବେ ଭସାଇ ଦେଲେ ସନ୍ତାପ-ସିନ୍ଧୁ ଯେ

 

ଉପାୟ ଆଉ ନ ଦିଶଇ ଏଣିକି

 

ଉଦ୍ଧରିବାକୁ ଶୋକ ସିନ୍ଧୁ ପାଣିକି ଯେ

।୫।

ଚତୁର ପଣେ କାନ୍ତ ହେଲେ ଅନ୍ତର

 

ଚେତି ପାରିଲି ନାହିଁ ମୁଁ ମାନସର ଯେ

 

ଚରଣ ଧରି ଛାଡ଼ି ଦେଇ ନଥାନ୍ତି

 

ଚତୁରାନନ ଲେଖା ଭୋଗୁଛି ନିତି ଯେ

।୬।

ଛନ୍ଦ ଥିଲା ହୃଦରେ ନ କହି ମୋତେ

 

ଛାଡ଼ିଗଲେ ସମର୍ପି ମଦନ ହାତେ ଯେ

 

ଛାର ମାର ଶର କି କରନ୍ତା ଦାଉ

 

ଛୁଅନ୍ତେ ମୋର ଅଙ୍ଗ ଏଜୀବ ଥାଉ କି

।୭।

 

ଭାବାର୍ଥ- (୧-୭) ସ୍ୱାମୀ ବିଦେଶରେ । କମଳ ମୁଖୀ, ସୁବର୍ଣ୍ଣ ଗୋରୀ ସ୍ତ୍ରୀ ପାଖରେ କୋକିଳକୁ ଦେଖି କୋହଭରା କଣ୍ଠରେ କହୁଛି- ରେ କୋକିଳ, ମୋର ବାର୍ତ୍ତା ଘେନି ସ୍ୱାମୀଙ୍କ ପାଖକୁ ଯାଅ । ଶୀଘ୍ର ମୋର ପ୍ରାଣବନ୍ଧୁଙ୍କୁ କହିବୁ, ମୁଁ ତାଙ୍କର ପରିଚାରିକା ହୋଇ କେତେ ସେବା କରିଛି । ତାଙ୍କ ପାଦତଳେ ମୁଁ ମୋର ମନକୁ ଢାଳି ଦେଇଛି । ଖେଳା ସମୟରୁ ଅଗଣିତ ଜୁହାର କରିଛି । ରତି ସମୟରେ ସେ ମୋତେ ଗାଢ଼ ଭାବେ ଭିଡି ଧରିଲେ ମୁଁ ତାଙ୍କ ହାତକୁ ଛିଞ୍ଚାଡ଼ି ଦିଏ । ସେଇ ଅପରାଧରୁ ସେ ମୋତେ ଛାଡ଼ି ବିଦେଶ ଚାଲିଗଲେ । ମୋ ଛାତିରେ ଦକା ରହିଗଲା । ବିଦେଶ ନ ଯିବା ପାଇଁ ତାଙ୍କୁ କେତେ ବୁଝାଇଲି ମାତ୍ର ପାରିଲି ନାହିଁ । ତାଙ୍କ ବିନା ଘଡ଼ିକୁ ଘଡ଼ି ମୋ ଜୀବନ ଚାଲିଯାଉଛି ଯେମିତି । ଭାବୁଛି ମୁଁ ଯେଉଁ ଦୋଷ କରିଛି, ତାକୁ ମନରେ ଧରିବେ ନାହିଁ ।

 

ରେ କୋକିଳ, ମୋ ପ୍ରାଣବନ୍ଧୁଙ୍କୁ କହିବୁ, ମୋତେ ମନରେ ନ୍ୟୂନ ଭାବି, ଦୁଃଖ ସାଗରରେ ଏବେ ଭସାଇ ଦେଲେ । କିମିତି ଏ ଶୋକ ସିନ୍ଧୁରୁ ପାରି ହେବି ଜାଣି ପାରୁନାହିଁ । କୌଣସି ଉପାୟ ଦେଖାଯାଉନାହିଁ । ଚତୁର ପଣ କରି କାନ୍ତ ମୋର ପାଖରୁ ଅନ୍ତର ହୋଇଗଲେ । ଏହା ମୁଁ ଜାଣି ପାରିଲି ନାହିଁ । ତାଙ୍କ ପାଦ ଧରି ବିଦେଶକୁ ଯିବା ପାଇଁ ମନା କରିଥା’ନ୍ତି । ଏବେ କପାଳ ଲିଖନ ନିତି ଭୋଗ କରୁଛି । ହୃଦୟରେ ତାଙ୍କର ଛନ୍ଦକପଟ ପୂରି ରହିଥିଲା, ମୋତେ ନ କହି ଚାଲିଗଲେ । ତା’ ପୂର୍ବରୁ ମୋତେ କନ୍ଦର୍ପ ହାତରେ ସମର୍ପି ଦେଲେ । ସେଥିପାଇଁ ମୁଁ କଷ୍ଟ ଭୋଗୁଛି । ସେ ଯଦି ମୋ ପାଖରେ ଥାଆନ୍ତେ, ଛାର ମଦନର ଶର ମୋର ବା କ’ଣ କରନ୍ତା ?

 

ଯେଉଁ ଦିନରୁ ନାଥ କଲେଣି ଦୂର

 

ଜହର ପରି ଲାଗେ ଘର ଦୁଆର ଯେ

 

ଜିଇଁବାରେ କେବେହେଁ ନାହିଁ ଭରସା

 

ଯାଇ କହ ନାଥଙ୍କୁ ତେଜନ୍ତୁ ଆଶା ଯେ

।୮।

ଝୁରାଇବାକୁ ବନ୍ଧୁ ଥିଲେ ବିଚାରି

 

ଝୁରି ଝଡ଼ି ଗଲାଣି ତନୁ ବଲ୍ଲରୀ ଯେ

 

ଝୁଣ୍ଟି ଯାଉଛି ପିକ ଅବନୀ ତଳେ

 

ଝୋଲା ନସହି ମୋର ଚାଲିବା ବେଳେ ଯେ

।୯।

ନାହିଁ ସେଦିନୁ ଅଙ୍ଗ ମାଜଣା ମୋର

 

ନିବାରି ନପାରିଲି ଲୋତକ ଧାର ଯେ

 

ନୟନ ଫୁଟି ଯାଉଅଛି ନଦେଖି

 

ନିରାଶ କଲେ ନାଥ କି ଦୋଷ ଦେଖି ଯେ

।୧୦।

ଟିକାଏ ନାକରନ୍ତି ହୃଦରୁ ଛଡ଼ା

 

ଟାଣ ପାଷାଣେ ହୃଦ ହେଲାଣି ଗଢ଼ା ଯେ

 

ଟଳି ପଡ଼ୁଛି ଆଶ୍ରା କଳପ ଲତା

 

ଟେକ ପଣେକି ଟେକ ଦେଲା ବିଧାତା ଯେ

।୧୧।

ଠେଁସିତ ନାହିଁ ବାରେ କହିବା ବୋଲ

 

ଠଉରାଇଲେ ମୋର କି ଅବିଚାର ଯେ

 

ଠିକ ନକଲେ ଯାତ୍ରୀ ବିଦେଶ ଯିବା

 

ଠକ ଭଣ୍ଡିଲା ପରି କଲେ କି ଅବା ଯେ

।୧୨।

ଡଙ୍ଗା ମୁଁ କରିଥିଲି କାନ୍ତ କୋଳକୁ

 

ଡେଇଁବା ପାଇଁ କାମସିନ୍ଧୁ ଜଳକୁ ଯେ

 

ଡଅଁରେ ଫିଙ୍ଗି ନାବ ନେଲେ ଛଡ଼ାଇ

 

ଡରିଲେ ନାହିଁ ତିଳେ ମାରିବା ପାଇଁ ଯେ

।୧୩।

ଢାଁକି ଆସୁଛି ମୋର ନୟନ ଯୁଗ

 

ତୁଳହିଁ ଦିବା ନିଶି ନୁହଇ ଯୋଗ ଯେ

 

ଢଳି ଗଲାଣି ନାଥ ଗଲା ଅବଧି

 

ଢୋକିଲେହିଲା ଜୀବ ରକ୍ଷା ଔଷଧି ଯେ

।୧୪।

ଆଦରେହି ନ ଘେନି କି କଳା କରି

 

ଆସୁଅଛି ଅରଜି ଗୁଣାକୁ ଧରି ଯେ

 

ଅଳପ ମାତ୍ର ଅଛି ସିନ୍ଦୂର ରେଖା

 

ଅଙ୍କେ ଅଙ୍କୁଶ ପରି ହେଲା ଅଳକା ଯେ

।୧୫।

 

ଭାବାର୍ଥ- (୮-୧୫) ଲୋ କୋଇଲି, ଯେଉଁ ଦିନଠୁଁ ପିୟମୋର ମୋ ଠାରୁ ଦୂରେଇ ଗଲେଣି, ସେହି ଦିନଠୁଁ ଘର ଦ୍ୱାର ବିଷପରି ଲାଗୁଛି । ଜିଇଁବାକୁ ଇଚ୍ଛା ହେଉନାହିଁ । ମନକୁ ଭରସା ବି ଆସୁନାହିଁ । ନାଥଙ୍କୁ ଯାଇ କହିବୁ, ମୋତେ ଆଉ ଆଶା କରନ୍ତୁ ନାହିଁ । ମୋ ପ୍ରାଣବନ୍ଧୁ ମୋତେ ଝୁରାଇ ମାରିବାକୁ ମନରେ ବିଚାର କରିଥିଲେ । ତାଙ୍କୁ ଝୁରି ଝୁରି ମୋ ତନୁ ଲତା ଝଡ଼ି ଗଲାଣି । ଚାଲିବାକୁ ମୋର ବଳ ପାଉନାହିଁ । ଚାଲିଲା ବେଳେ ଝୁଣ୍ଟିପଡ଼ି ତଳେ ପଡ଼ି ଯାଉଛି । ରେ ପିକ, ସେ ଗଲା ଦିନଠୁଁ ମୋର ଗାଧୁଆ ନାହିଁ । ଆଖିରୁ ଲୁହ ଧାରକୁ ବନ୍ଦ କରିପାରିନାହିଁ । ମୁଁ କି ଦୋଷ କରିଥିଲି ଯେ, ନିରାଶ କରି ମୋତେ ଚାଲିଗଲେ । ତାଙ୍କୁ ନ ଦେଖି ଆଖି ମୋର ଫୁଟିଯାଉଛି । ଟିକିଏ ହେଲେ ମଧ୍ୟ ସେ ମୋତେ ପାଖରୁ ଅନ୍ତର କରନ୍ତି ନାହିଁ । ଏବେ ସେ ଯାହା କଲେ, ମୁଁ ଭାବୁଛି, ତାଙ୍କ ହୃଦୟ ଟାଣ ପଥରରେ ଗଢ଼ା ହୋଇଛି । ମୁଁ ଯେଉଁ ବୃକ୍ଷକୁ ବା ଡାଳକୁ ଆଶ୍ରା କଲି, ତାହା ଭାଙ୍ଗି ଯାଉଛି । ବିଧାତା କ’ଣ ବଡ଼ ପଣରେ ଟେକି ଦେଲା କି ?

 

ଲୋ କୋଇଲି, ତାଙ୍କ ବୋଲକୁ ମୁଁ କେବେ ହେଲେ ଅମାନ୍ୟ କରିନାହିଁ । ମୋର କି ଖରାପ କାମ ଦେଖିଲେ ଯେ, ମୋତେ ଛାଡ଼ି ଚାଲିଗଲେ । ବିଦେଶ ଯିବା କଥା ଆଗରୁ ସ୍ଥିର କରି ନ ଥିଲେ, ଠକ ଭଣ୍ଡିଲା ପରି କ’ଣ ସେ କାମ କଲେନି ? ମୁଁ ସ୍ୱାମୀଙ୍କ କୋଳକୁ ଡଙ୍ଗା କରିଥିଲି । ଭାବିଥିଲି, ସେଥିରେ କାମସିନ୍ଧୁକୁ ପାର ହୋଇଯିବି; କିନ୍ତୁ ଡଙ୍ଗାଟିକୁ ଡଅଁର (ପାଣିଭଉଁରି) ମଧ୍ୟରେ ପକାଇ ଦେଲେ । ମୋତେ ମାରିବା ପାଇଁ ତିଳେ ମଧ୍ୟ ଡରିଲେ ନାହିଁ । ମୋର ଆଖି ଦୁଇଟି ଢାଙ୍କି ହୋଇ ଆସୁଛି । ରାତି କ’ଣ ଦିନ କ’ଣ ଜାଣିପାରୁନି । ସେ ବହୁତ ଦିନ ହେଲା ଗଲେଣି, ଜୀବନ ରକ୍ଷା ଔଷଧି ସେ ମୋର । ଅଳ୍ପ ମାତ୍ର ସିନ୍ଦୂର ରେଖା ଅଛି, କୋଳରେ ଅଳକା ଅଙ୍କୁଶ ପରି ହୋଇଛି । ମୋ ଅବସ୍ଥା ବଡ଼ ଦୟନୀୟ ।

 

ତଳପ ନ ରୁଚଇ ତଳହିଁ ବିଷ

 

ତ ମରସ ପଲ୍ଲବେ ତବ ବିଶେଷ ଯେ

 

ତତାଇ ଦିଏ ଶଶୀ କୋକିଳ ସ୍ୱନ

 

ତପତ ଲାଗୁଅଛି ଚନ୍ଦ୍ର ଚନ୍ଦନ ଯେ

।୧୬।

ଥରେ ମାତ୍ରକ ପିକ ଦେଖ ଶ୍ରୀମୁଖ

 

ଥରାଇ ଦେଉଅଛି କାମ ବିଶିଖ ଯେ

 

ଥକିଲା ପରି ହୋଇ ଗଲଣି ଅଙ୍ଗ

 

ଥାଣୁ ପରାୟେ ଦିଶିଗଲା ବିଭଙ୍ଗ ଯେ

।୧୭।

ଦଣ୍ଡ ଦିଅଇ କାମ ଧରିତା ଗୁଣ

 

ଦମ୍ଭ କରତି ଘେନି ଯାଉଛି ପ୍ରାଣ ଯେ

 

ଦର ପରାୟେ ଦିଶିଗଲାଣି ଗଣ୍ଡ

 

ଦଣ୍ଡ ଦଣ୍ଡକେ କାନ୍ତ ଦେଲେକି ଦଣ୍ଡ ଯେ

।୧୮।

ଧର ଅଧର ଧନ ମୋ ଜୀବନ ସଙ୍ଗୀ

 

ଧରା ବୋଲି ତାଙ୍କର ଡାକିବା ଭଙ୍ଗୀ ଯେ

 

ଧଇର୍ଯ୍ୟ ରହୁ ନାହିଁ ପଡ଼ିଲେ ମନେ

 

ଧମକାଉଛି ପାପୀ ମଦନ ବାଣେ ଯେ

।୧୯।

ନିଦାଘ ଗତ ଯହୁଁ ଆସିବେ ଧନ

 

ନବତନୁଜା ପାଦେ କରି ପୂଜନ ଯେ

 

ନବ ତରୁଣ ଛାଗ ଦେବଇଁ ବଳି

 

ନାମ ସୁମରି କାନ୍ତ କରନ୍ତି କେଳି ଯେ

।୨୦।

ପରମ ପଦେ ବନ୍ଧୁ ବସାଇ ଥିଲେ

 

ପର ପରାୟ କରି ଯା ପାସୋରିଲେ ଯେ

 

ପାଇ ଯାଉଛି ଶେଷ ମୋ ଯଉବନ

 

ପର୍ବତ ପରି ହେଲା ପିନ୍ଧା ବସନ ଯେ

।୨୧।

ଫନ୍ଦା ମୋହର ପିକ ଯାଉଛି ବୁଡ଼ି

 

ଫେରି ଆସି କହିବୁ ସନ୍ଦେହ ଫେଡ଼ି ଯେ

 

ଫଟା କପାଳେ ସତେ ଫଳିବ ଏହା

 

ଫାଟି ଯାଉଛି ମୋର କଠିନ ହିଆ ଯେ

।୨୨।

ବଳାଇ ନାଥ ମୋତେ କହନ୍ତି ଯେତେ

 

ବାଳିଶ ପଣେ ଭାଙ୍ଗିଥିବି କିଞ୍ଚିତେ ଯେ

 

ବଳିବାକୁ ଭାଜନ ନୁହଇଁ ମୁହିଁ

 

ବିପରୀତ ବତ୍ସଳ ରହିଲେ କାହିଁ ଯେ

।୨୩।

 

ଭାବାର୍ଥ- (୧୬-୨୩) ଲୋ କୋଇଲି, ତଳ୍ପ (ଶଯ୍ୟ) ମୋତେ ଆଉ ରୁଚୁନାହିଁ । ପତ୍ର ଶଯ୍ୟକୁ ଆଶ୍ରା କରିଛି । ଚନ୍ଦ୍ରକିରଣ ମୋତେ ଗରମ ଲାଗୁଛି, କୋଇଲିର ସ୍ଵନ ମୋତେ କଷ୍ଟ ଦେଉଛି । ଚନ୍ଦ୍ର, ଚନ୍ଦନ ସବୁ ଗରମ ଲାଗୁଛି । ରେ ପିକ, ଥରେ ମାତ୍ର ତାଙ୍କ ଶ୍ରୀମୁଖ ଦେଖ, କାମ ଶରକୁ ଥରାଇ ଦେଉଛି । ତାଙ୍କ ଦେହ ଥକିଲା ପରି ହୋଇଗଲାଣି । ସ୍ଥାଣୁ (ଥାଣୁ) ପ୍ରାୟ ହେଲାଣି-। କାମ ତା’ ହାତରେ ଶରଧରି ଦଣ୍ଡ ଦେଉଛି । ଦମ୍ଭ ତୁଟି ଯାଉଛି, ପ୍ରାଣ ଯେମିତି ଚାଲି ଯାଉଛି । ଗଣ୍ଡ (ଗାଲ) ଦେଶ ଭୟରେ ଥରିଲାଣି । ଦଣ୍ଡ ଦଣ୍ଡକ ରହି କାନ୍ତ ମୋର ଦଣ୍ଡ ଦେଉଛନ୍ତି-କି ?

 

ରେ ପିକ ସେ ମୋ ଜୀବଧନ, ମୋ ପ୍ରାଣ ସଙ୍ଗୀ, ତାଙ୍କର ଡାକିବା ଭଙ୍ଗୀ ଚମତ୍କାର । ସେ ସବୁ ମନେ ପଡ଼ିଲେ ଧୈର୍ଯ୍ୟ ରହୁନାହିଁ । ଏମିତି ସମୟରେ ପାପୀ ମଦନ ବାଣ ଦେଖାଇ ଧମକାଉଛି । ଗ୍ରୀଷ୍ଟ କାଳ ପରେ ମୋ କାନ୍ତ ଯେତେବେଳେ ଫେରି ଆସିବେ, ଦେବୀ ଦୁର୍ଗାଙ୍କ ପାଦତଳେ ପୂଜା କରି ତରୁଣ ଛେଳିଟିଏ ତାଙ୍କୁ ବଳି ଦେବି । ନାମ ସ୍ମରଣ କରି କାନ୍ତଙ୍କ ସହିତ କେଳି କରନ୍ତି । ରେ କୋକିଳ, ମୋ ପ୍ରାଣବନ୍ଧୁ ମୋତେ ଆଦର କରି କୋଳରେ ବସାଉଥିଲେ, ଏବେ ପର ପ୍ରାୟ କରି ପାସୋରି ଦେଲେ । ମୋ ଯୌବନ ସରି ସରି ଯାଉଛି, ପିନ୍ଧା ବସନ ସବୁ ପର୍ବତ ପରି ଭାରି ଭାରି ଲାଗୁଛି । ରେ ପିକ, ମୋର ସବୁ ଫନ୍ଦା ବୁଡ଼ି ଯାଉଛି । ସେଠାରୁ ଫେରି ଆସି ମୋ ସନ୍ଦେହ ଦୂର କରିବୁ । ମୋର କଠିନ ହୃଦୟ ଫାଟି ଯାଉଛି । ଫଟା କପାଳ ମୋର । ସତେ କ’ଣ ମୋତେ ଭଲ ଫଳ ମିଳିବ । ଯାହା ଭାବୁଛି, ପାଇବି ? ରେ ପିକ, ମୋ କାନ୍ତ ମୋତେ କେତେ ଆଦର କରୁ ନ ଥିଲେ ? ବଳାଇ କରି କେତେ କଥା କହନ୍ତି, ହେଲେ ମୂର୍ଖ ପଣରେ ତାଙ୍କ କଥାକୁ ମାନୁ ନ ଥିଲି । ତାଙ୍କ କ୍ଷମା ପାଇବାକୁ ମୁଁ ଯୋଗ୍ୟ ନୁହେଁ । କାନ୍ତ ମୋର ଏବେ କେଉଁଠି ରହିଛନ୍ତି ।

 

ଭ୍ରୂଭଙ୍ଗୀ ଶୋଭା ପାଉଁ ଶରମ ଝାଳ

 

ଭଲରୁ କାନ୍ତ ପୋଛି କରନ୍ତି କୋଳ ଯେ

 

ଭାଙ୍ଗିଅଛି ସେ ସୁଖ ପିକ କହିବ

 

ଭାବନାରେ ଏ ଜୀବ ବାହାରି ଯିବ ଯେ

।୨୪।

ମୋ କରୁ ଛାଡ଼ି ଯାଉଅଛି ନାଟିକା

 

ମୁଣ୍ଡେ ଦିଅନ୍ତୁ ମୋର କରୁ ସେ ଟୀକା ଯେ

 

ମଉଳି ଗଲା ପରି ଗଙ୍ଗ ଶିଉଳି

 

ମାର ଶରରେ ଦେହ ଗଲା ଝାଉଁଳି ଯେ

।୨୫।

ଜୀବ ଯିବାରେ ମୋର ହେଲାଣି ଠିକ

 

ଯିବା ଆସିବା ମାତ୍ର ନିଶ୍ୱାସ ଟିକ ଯେ

 

ଯେତେବେଳେ କଣ୍ଠରେ ଯିବ ଅଟକି

 

ଜୀବ ଜୀବନ ମୋତେ ପାଇବେ ଟିକି

।୨୬।

ରହି ନିଶ୍ୱାସ ପିଣ୍ଡ ବହୁଟି ମୋର

 

ରଜନୀ ହେଉଅଛି ଯୁଗ ଅପାର ଯେ

 

ରସିକମଣି ଚିତ୍ତ ଆହ୍ଲାଦକାରୀ

 

ରସିକ ସୁଖ ଦେଖି ଯାଉ ବାହାରି ଯେ

।୨୭।

ଲାବଣ୍ୟ ପୁଞ୍ଜ କଂଜ ଲୋଭୀ ମଧୁପ

 

ଲୋଭେ ଆସିଲେ ମନୁ ଯିବ ସନ୍ତାନ ଯେ

 

ଲାଳସା କରି ତାଙ୍କୁ କହିବ ବାଣୀ

 

ଲଲାଟ ଲେଖା ସୁଖ ପାଇବି ଗଣି ଯେ

।୨୮।

 

ଭାବାର୍ଥ- (୨୪-୨୮) ରେ ପିକ, ରତିକ୍ରୀଡ଼ା ପରେ ତାଙ୍କର ଶ୍ରମଝାଳ ବହେ । ସେ କପାଳରୁ ତାକୁ ପୋଛି ମୋତେ କୋଳ କରନ୍ତି । ରେ ପିକ ତାଙ୍କୁ କହିବ, ସେ ସୁଖ ଏବେ ଭାଙ୍ଗିଯାଇଛି । ତାଙ୍କ ଭାବନାରେ ଏ ଜୀବନ ଚାଲିଯିବ । ମୋ ହାତରୁ ନାଟିକା ଛାଡ଼ି ଛାଡ଼ି ଯାଉଛି-। ସେ ତାଙ୍କ ହାତରେ ଟୀକା ଆଣି ମୋ ମୁଣ୍ଡରେ ଦିଅନ୍ତୁ । ଗଙ୍ଗଶିଉଳି ମଉଳି ଗଲା ପରି କନ୍ଦର୍ପ ଶରରେ ମୋ ଦେହ ଝାଉଁଳି ଗଲାଣି । ଜୀବନ ଯିବା ମୋର ନିଶ୍ଚିତ ହୋଇଗଲାଣି । ଯାହା ଏବେ ନିଶ୍ଵାସ ଟିକକ ଯିବା ଆସିବା କରୁଛି । ତାହା ଯେତେବେଳେ କଣ୍ଠରେ ଅଟକି ଯିବ, ସେତେବେଳେ ମୋ ଜୀବନ ଚାଲିଯିବ । ମୋତେ କ’ଣ ଆଉ ପାଇବେ ?

 

ରେ ପିକ, ନିଶ୍ୱାସ ରହି ପିଣ୍ଡଟି ମୋର ରହୁ । ରାତିକ ଯୁଗ ହେଉଛି । ରସିକମଣି ଚିତ୍ତ ଆହ୍ଲାଦକାରୀ ରସିକ ନାଗରଙ୍କ ସୁଖ ଦେଖିଲା ପରେ ଜୀବନଟା ପିଣ୍ଡରୁ ବାହାରିଯାଉ । ସୁନ୍ଦରତାରେ ପରିପୂର୍ଣ୍ଣ ପଦ୍ମରେ ଲୋଭ କରି ମଧୁପ ଆସିଲେ ମନ ମଧ୍ୟରୁ ଦୁଃଖ ସବୁ ଦୂର ହୋଇଯିବ । ରେ ପିକ, ତାଙ୍କୁ ଭେଟି କରି କହିବ, ଲଲାଟରେ ଲେଖା ହୋଇଥିବା ସୁଖକୁ ମୁଁ ପାଇବି ।

 

ବେଣୀ ସାଜିବା ବେଳେ ନାଗର ବର

 

ବନ୍ଧୁ ବୋଲି ଡାକିବା ପଦ ତାଙ୍କର ଯେ

 

ବାଇ କରିଛି ପିକ ମୋର ମତିକି

 

ବିନ୍ଧୁଛି ପଞ୍ଚବାଣ ମାର ଛାତିକି ଯେ

।୨୯।

ଶୋଭା-ଲୋଭା ଚତୁର-ମୁକୁଟ ମଣି

 

ସ୍ନେହେ କହନ୍ତି ମୋତେ ଇଙ୍ଗିତ ବାଣୀ ଯେ

 

ସେ ପ୍ରାଣନାଥ ଛାଡ଼ିଗଲେ କିପାଇଁ

 

ସୁଖ ସାଗର ଉଛୁଳାଇବା ପାଇଁ ଯେ

।୩୦।

ସେବିବା ଶିବ ପୂଜାଇବା ଶଙ୍କର

 

ଶରୀର ଭାବନାରେ କ୍ଷୀଣ ହେବାର ଯେ

 

ଶିଥୀଳ ଦେବା କର କଙ୍କଣ ମାନ

 

ଶୁଣି ନାଥ ଆସିବେ ଅବା ବହନ ଯେ

।୩୧।

ଶରଣ ପଶିବାର ଚରଣ ତଳ

 

ସବୁ କହିବୁ ତାଙ୍କ ଆଗେ କୋକିଳ ଯେ

 

ସହସ୍ରବାର ତୋତେ ମୋହର ରାଣ

 

ସାହା ନାହିଁ ସଂସାରେ ତୋ ବିନା ଆନ ଯେ

।୩୨।

 

 

ହସ୍ତାକ୍ଷର ଆଣିବୁ ତାଙ୍କ ହସ୍ତର

 

ହେଲେ ସଙ୍ଗତେ ଘେନି ଆସିବୁ ତୋର ଯେ

 

ହର ମାର ବେଦନା ଦେଇ କାନ୍ତକୁ

 

ହାର ଦେଉଛି ଉପହାର ମାତ୍ରକୁ

।୩୩।

କ୍ଷଣେ ରହି କୋକିଳ ବିସ୍ମୟ ଚିତ୍ତେ

 

କ୍ଷମା ନିଧି ସରଣେ ନମି ତୁରିତେ ଯେ

 

କ୍ଷୋଭ ବଢ଼ାଇ ଅଭିମନ୍ୟୁ ମାନସେ

 

କ୍ଷମେ ଗମନ କଲା ନାଗର ପାଶେ ଯେ

।୩୪।

 

ଭାବାର୍ଥ- (୨୯-୩୪) ରେ ପିକ, କାନ୍ତଙ୍କ କଥା ବାରମ୍ବାର ମନେ ପଡ଼ୁଛି । ମୁଁ ବେଣୀ ସଜାଡ଼ିବା ବେଳେ ନାଗରବର ପଛରୁ ଆସି ମୋତେ ବନ୍ଧୁ ବୋଲି ଡାକନ୍ତି । କନ୍ଦର୍ପ ମୋର ଛାତିକୁ ପଞ୍ଚବାଣ ବିନ୍ଧୁଛି । ମୋ ମତିକୁ ବାଇ କରି ଦେଇଛି । ଶୋଭା ଲୋଭା ସେ, ଚତୁର ମୁକୁଟମଣି, ସ୍ନେହରେ ମୋତେ ଇଙ୍ଗିତବାଣୀ କହନ୍ତି । ମୋ ସୁଖସାଗରକୁ ଉଛୁଳାଇ ମୋ ପ୍ରାଣନାଥ ବିଦେଶ ଚାଲିଗଲେ । ଶିବଙ୍କୁ ପୂଜିବା, ଶଙ୍କରଙ୍କୁ ପୂଜାଇବା, ଶରୀର ଭାବନାରେ କ୍ଷୀଣ ହେବା, ହାତର କଙ୍କଣ ଶବ୍ଦ ଶୁଣିଲେ ମନେ ହେଉଛି ନାଥ ଆସିବେ ପରା । ରେ କୋକିଳ, ତାଙ୍କ ପାଦ ତଳେ ଶରଣ ପଶିବା କଥା ସବୁ ପ୍ରାଣବନ୍ଧୁଙ୍କ ଆଗରେ କହିବୁ । ତୋତେ ମୋର ସହସ୍ରବାର ରାଣ । ତୋ ବିନା ଏ ସଂସାରରେ ମୋର କେହି ସାହା ନାହିଁ ।

 

ରେ ପିକ, ତୁ ତାଙ୍କୁ ସାକ୍ଷାତ କରିବା ସନ୍ତକ ସ୍ୱରୂପ ନାଥଙ୍କର ହସ୍ତାକ୍ଷର ଆଣିବୁ । ତାକୁ ସଙ୍ଗରେ ନେଇ ଆସିବୁ । କନ୍ଦର୍ପ କାନ୍ତଙ୍କୁ ବେଦନା ଦେବା ସହ ନାମକୁ ମାତ୍ର ଉପହାର ସ୍ୱରୂପ ହାର ଦେଇଛି । ଏହା ଶୁଣି କୋକିଳ କ୍ଷଣେ କାଳ ରହି ବିସ୍ମୟ ଚିତ୍ତରେ କ୍ଷମାନିଧିଙ୍କ ଚରଣ ତଳେ ତୁରନ୍ତ ପ୍ରାର୍ଥନା କଲା । ପ୍ରିୟାର ମନରେ ଆଶା ବଢ଼ାଇ କୋକିଳ ନାଗର ପାଶକୁ ଗମନ କଲା ।

Image